“ମୁଁ ଚ୍ୟାଲେଞ୍ଜ କରି କହୁଛି ଯଦି ଓଡ଼ିଶାରେ ମୋଦିଜୀ ଖେଳ ନକରନ୍ତି ମୁଁ ମୋ କାନ କାଟିଦେବି” : ହରିହର ମହାପାତ୍ର ।

ବନ୍ଧୁଗଣ ନିକଟରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିନେତ୍ରୀ ପିଙ୍କି ପ୍ରଧାନ, ହାସ୍ୟ ଅଭିନେତା ହରିହର ମହାପାତ୍ର ଯୋଗ ଦେଇଥିଲେ । ନିର୍ବାଚନ ସମୟରେ ସିନେ କଳାକାରଙ୍କୁ ନବୀନ ନିବାସକୁ ଡାକରା ନେଇ ବିଜେପି କଟାକ୍ଷ କରିଛି । ବିଜେଡିକୁ ଟାର୍ଗେଟ୍ କରି ପିଙ୍କି ପ୍ରଧାନ ଓ ହରିହର କହିଛନ୍ତି ଯେ ବିଜେଡିକୁ ହାରିବା ଭୟ ଘାରିଛି। ସେଥିଲାଗି ଫିଲ୍ମଷ୍ଟାରଙ୍କୁ ଖୋଜୁଛି । ଓଡ଼ଶାରେ କଳାକାରଙ୍କ ଅବସ୍ଥା ଏମିତି ଯେ ସେମାନଙ୍କୁ ଟଙ୍କା ଦେଇ ପ୍ରଚାର କରୁଛି ବିଜେଡି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୪ ବର୍ଷର ବିଜେଡି ଶାସନରେ ସର୍ବାଧିକ ଅବହେଳିତ ହୋଇଛନ୍ତି କଳାଜଗତ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ରାଜ୍ୟର ଅଗଣିତ କଳାକାର ଭାଇ ଓ ଭଉଣୀମାନେ । ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଥିବା ଓ ବଂଚାଇ ରଖିଥିବା ସଂକୀର୍ତନ, ପାଲା, ଦାସକାଠିଆ କଳାକାରମାନେ ବିଜେଡି ସରକାରର ଅବହେଳା ଓ ପ୍ରତାରଣାର ଶିକାର ହୋଇ ବହୁ କଷ୍ଟରେ ଜୀବନଯାପନ କରୁଛନ୍ତି । ଆତ୍ମପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାକାରମାନଙ୍କୁ ବ୍ୟବହାର କରୁଛନ୍ତି, କିନ୍ତୁ କଳାଜଗତ ସହ ଜଡ଼ିତ କଳାକାର ଭାଇଭଉଣୀଙ୍କ ପାଇଁ କିଛି କରିନାହାଁନ୍ତି । “ୟୁଜ୍ ଆଣ୍ଡ ଥ୍ରୋ’ କରିବାରେ ସିଦ୍ଧହସ୍ତ ବିଜେଡି ।

ହରି ଆହୁରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି କଳାକାର ମାନଙ୍କୁ ୪୫୦୦ଟଙ୍କା ଭତ୍ତା ଦେଉଥିବା ବେଳେ ଓଡ଼ିଆ କଲାକାରଙ୍କୁ ନବୀନ ବାବୁ ଆଗରୁ ୧୨୦୦ ଟଙ୍କା ଦେଉଥିଲେ ଏବେ ଇଲେକ୍ସନ ପାଇଁ ବଢ଼ାଇକି ଦେଉଛନ୍ତି ମାତ୍ର ୨୦୦୦ଟଙ୍କା । ସେ ମଧ୍ୟ ବହୁତ୍ କମ୍ କଳାକାର ପାଉଛନ୍ତି ଯାହା ଅତ୍ୟନ୍ତ ଲଜ୍ଜ୍ୟାର ବିଷୟ । ଓଡ଼ିଶାରେ ଥିବା ସିନେମା ହଲ୍ ବନ୍ଦ ହୋଇ କଲ୍ୟାଣମଣ୍ଡପ ହେଉଛି । ସର୍ବପୁରାତନ ଫିଲ୍ମ ଷ୍ଟୁଡିଓ ‘କଳିଙ୍ଗ ଷ୍ଟୁଡିଓ’କୁ ମନୋରଂଜନ ପାର୍କରେ ପରିଣତ କରି ବିଜେଡି ନେତାଙ୍କ ବିବାହ, ବ୍ରତ, ଜନ୍ମଦିନ ପାଳନ କରାଯାଉଛି ।

ଓଡ଼ିଆ ସିନେମା ନିର୍ମାଣ ପାଇଁ ସବସିଡି କି ପ୍ରୋତ୍ସାହନ ମଧ୍ୟ ଯୋଗାଇ ଦେଉନାହାନ୍ତି ନବୀନ ପଟ୍ଟନାୟକ । ତେଣୁ ଆତ୍ମପ୍ରଚାର ପାଇଁ କଳାକାରଙ୍କୁ ବ୍ୟବହାର କରିବା ପୂର୍ବରୁ କଳାକାରଜଗତ ପାଇଁ କ’ଣ କରିଛନ୍ତି, ତାର ହିସାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ବିଜେପି ଦାବି କରିଛି । ତେବେ ଗତକାଲି ମୁଖ୍ୟମନ୍ତ୍ରୀ ହଠାତ୍ ସିନେ କଳାକାରଙ୍କୁ ଭେଟି ଆଲୋଚନା କରିବା ସଂପୂର୍ଣ୍ଣ ଛଳନାତ୍ମକ ଥିଲା ବୋଲି ଅଭିଯୋଗ କରିଛନ୍ତି । ହରିହର ମହାପାତ୍ର ଶେଷରେ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ଓଡ଼ିଶାରେ ମୋଦିଜୀ ଖେଳ ନକରନ୍ତି ତେବେ ସେ ତାଙ୍କ କାନ କାଟିଦେବେ ।

Leave a Reply

Your email address will not be published. Required fields are marked *