“ମୁଁ ଆହ୍ୱାନ ଦେଉଛି ରାଉତରାୟ ପରିବାରକୁ କବର ଦିଆଯିବ ଜଟଣୀରେ” : ଅଶୋକ ମଙ୍ଗରାଜ ।
ବନ୍ଧୁଗଣ ତୁଟୁନି କଂଗ୍ରେସର ଜଟଣୀ ଅଡ଼ୁଆ । ପୁଣିଥରେ ଜଟଣୀ ନିର୍ବାଚନ ମଣ୍ଡଳୀ ଟିକେଟ ରାଜନୀତିକୁ ନେଇ କଂଗ୍ରେସ ଭବନରେ ହୋହାଲ୍ଲା ଓ ନାରାବାଜି ଦେଖିବାକୁ ମିଳିଛି । ଜଟଣୀ କଂଗ୍ରେସରେ ଦୀର୍ଘଦିନ ହେବ କାର୍ଯ୍ୟ କରୁଥିବା ଅଶୋକ ମଙ୍ଗରାଜ ତାଙ୍କ ସମର୍ଥକଙ୍କ ସହ ଆସି ହାଲ୍ଲାବୋଲ ଓ ନାରାବାଜି କରିଛନ୍ତି । କଂଗ୍ରେସରେ ସନ୍ତୋଷ ଜେନାଙ୍କ ମିଶ୍ରଣକୁ ବିରୋଧ ସହ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ଓ ତାଙ୍କ ପୁତୁରା ସଂଗ୍ରାମ ରାଉତରାୟଙ୍କୁ ମଧ୍ୟ ବିରୋଧ କରି ଅଶୋକ ମଙ୍ଗରାଜ ଏବଂ ତାଙ୍କ ସମର୍ଥକ ମାନେ ନାରାବାଜି କରିଛନ୍ତି ।
ଗଣମାଧ୍ୟମ ସାମ୍ନାରେ ମିଡ଼ିଆ ଆଗରେ ଜଟଣୀ ବିଧାୟକ ସୁର ରାଉତରାୟଙ୍କୁ ସମର୍ଥନ କରି ନିଜକୁ ତାଙ୍କ ଆନୁଗତ୍ୟ କହି ଜଟଣୀରୁ ସେ ଟିକେଟର ହକଦାର ବୋଲି ଅଶୋକ କହିଛନ୍ତି । ସେ କହିଛନ୍ତି, “ମୁଁ ସନ୍ତୋଷ ଜେନାଙ୍କ ମିଶ୍ରଣକୁ ବିରୋଧ କରୁନାହିଁ । ମୁଁ ବିରୋଧ କରୁଛି ସଂଗ୍ରାମ ରାଉତରାୟଙ୍କୁ ।
ଯିଏକି ହିଂସାତ୍ମକ ଭାବେ ଆସି ଗତକାଲି ଏଠାରେ ବିରୋଧ କରିଛନ୍ତି । ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ ନକରି ସମର୍ଥକଙ୍କ ସହ ଆସି ଏଠାରେ ହଙ୍ଗାମା କରିଯାଇଛନ୍ତି । ଯାହା ଗ୍ରହଣୀୟ ନୁହେଁ । ଦଳର ନୀତି ନୈତିକତା ଓ ଆଦର୍ଶକୁ ମାନିନାହାନ୍ତି । ସେମାନେ କିନ୍ତୁ ଆସି ଦାବିଦାର ବୋଲି ଏଠାରେ ହଙ୍ଗାମା କରୁଛନ୍ତି ।
ତାହା ପୁଣି ପିସିସି ସଭାପତିଙ୍କ ଅନୁପସ୍ଥିତିରେ । ତେଣୁ ସେଭଳି ଲୋକଙ୍କୁ ମୁଁ ବିରୋଧ କରୁଛି । ଦଳ ପ୍ରତି ନିଷ୍ଠା ଥିବା ଲୋକ ଯାହାଙ୍କ ସହ ଲୋକ ଥିବେ ସେଭଳି ଲୋକଙ୍କୁ ଦଳ ଟିକେଟ ଦେଲେ ମୁଁ ସମର୍ଥନ କରିବି । ଯଦି ଦଳ ବିରୋଧୀ ବେଇମାନ ଓ କୃତଘ୍ନ ଲୋକଙ୍କୁ ଟିକେଟ ମିଳେ, ତେବେ ମୁଁ ତାଙ୍କୁ ବିରୋଧ କରିବି ଓ ଜଟଣୀରେ ନିର୍ବାଚନ ଲଢ଼ିବାକୁ ଦେବିନାହିଁ । ସୁର ରାଉତରାୟଙ୍କ ଅଂଶୀଦାର ଯେଉଁମାନେ କଂଗ୍ରେସକୁ ହତ୍ୟା କରୁଛନ୍ତି ଓ ପ୍ରଭାବିତ କରୁଛନ୍ତି, କଳୁଷିତ କରୁଛନ୍ତି ସେମାନଙ୍କୁ ଜଟଣୀରେ କବର ଦିଆଯିବ ।
ଯେଉଁମାନେ ରାଜନୀତିରେ ଆସି କଂଗ୍ରେସର ଢାଲ ପିନ୍ଧି ଅନ୍ୟ ଦଳର ପ୍ରଚାର କରୁଛନ୍ତି ଆଉ ଦଳର ନୀତି ନୈତିକତା ଭୁଲି ଦଳକୁ ହତ୍ୟା କରୁଛନ୍ତି ସେମାନଙ୍କୁ ବିରୋଧ ସହ କବର ଦିଆଯିବ । ମୁଁ ନିଷ୍ଠାପର ଭାବେ ୨୫ ବର୍ଷ ହେଲା କଂଗ୍ରେସ ପାଇଁ କାର୍ଯ୍ୟ କରୁଛି । ତେଣୁ ମୋତେ ସେଠାରେ ଟିକେଟ ଦିଆଯାଉ ବୋଲି ମୁଁ ଦାବି କରୁଛି” । ଆହୁରି ମଧ୍ୟ ଏହି ବିରୋଧ ସମୟରେ ସିଦ୍ଧାର୍ଥ ରାଉତରାୟଙ୍କ ମାନସିକ ସ୍ଥିତି ଭଲ ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି, “ସିଦ୍ଧାର୍ଥ ସୁର ରାଉତରାୟଙ୍କ ଅଂଶୀଦାର ହୋଇ ମଧ୍ୟ ତାଙ୍କର କଥା ବାର୍ତ୍ତା ଠିକ ରଖୁନାହାନ୍ତି । କେତେବେଳେ କେଉଁଠୁ ଲଢ଼ିବେ ତାହା ମଧ୍ୟ ସ୍ପଷ୍ଟ କରୁନାହାନ୍ତି” ।