ସମାଚାରସ୍ପେଶାଲ ରିପୋର୍ଟ

କରେଇ ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇପାରନ୍ତି ଝିଲିକ…ଆକାଶଙ୍କୁ ଦେଇପାରନ୍ତି ଟକର।

କୋରେଇ ଲଢେଇ ଉପରେ ସମସ୍ତଙ୍କ ନଜର। ଅଭିନେତ୍ରୀ ଦେବେ ଅଭିନେତାଙ୍କୁ ଟକର। ଆକାଶଙ୍କ ବିପକ୍ଷରେ ପ୍ରାର୍ଥୀ ହେବେ ଝିଲିକ। ମୈଦାନକୁ ଓଲ୍ହାଇବାକୁ ଅଭିନେତ୍ରୀଙ୍କ ସଙ୍କେତ।ଆଜ୍ଞା ହଁ ବନ୍ଧୁଗଣ ଆଗାମୀ ନିର୍ବାଚନରେ କୋରେଇ ବାସୀ ଦେଖିବାକୁ ଯାଉଛନ୍ତି ଏକ ରୋଚକ ଲଢେଇ। ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନରୁ ଓଡ଼ିଆ ଅଭିନେତା ତଥା ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି। ହେଲେ ବିଜେଡି ଏପର୍ଯ୍ୟନ୍ତ କୋରେଇ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ।

ତେବେ କୁହାଯାଉଛି କି ମନ୍ତ୍ରୀ ପ୍ରୀତିରଞ୍ଜନ ଘୋଡେଇଙ୍କ ପତ୍ନୀ ତଥା ଓଡ଼ିଆ ଅଭିନେତ୍ରୀ ଝିଲିକ ଭୋଟାଚାର୍ଯ୍ୟ କୋରେଇ ନିର୍ବାଚନ ମଣ୍ଡଳୀରେ ଆକାଶ ଦାସ ନାୟକଙ୍କୁ ଟକର ଦେବା ପାଇଁ ପୁରା ପ୍ରସ୍ତୁତ।ହେଲେ ଏକଥା କେବଳ ଚର୍ଚ୍ଚାରେ ସୀମିତ ହୋଇ ରହିନାହିଁ ବରଂ ବିଜେଡିର ସମର୍ଥକ ଏବଂ କର୍ମୀମାନେ ମଧ୍ୟ କୋରେଇରୁ ଝିଲିକ ପ୍ରାର୍ଥୀ ହୁଅନ୍ତୁ ବୋଲି ଦାବି କରିଛନ୍ତି। କୋରେଇ ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେଡି କର୍ମୀ ଏବଂ ସମର୍ଥକ ସୁକିନ୍ଦା ବିଧାୟକ ପ୍ରାର୍ଥୀ ପ୍ରୀତିରଞ୍ଜନ ଘୋଡାଇଙ୍କ ଯାଜପୁର ରୋଡ଼ ସ୍ଥିତ ବାସଭବନରେ ପହଁଚି ଭିଡ଼ ଜମାଇଛନ୍ତି। ଆଉ ଝିଲିକଙ୍କୁ ତାଙ୍କ ବିଧାୟିକା ପ୍ରାର୍ଥୀ ହେବା ପାଇଁ ଅନୁରୋଧ କରିଛନ୍ତି। ଆଉ ସବୁଠାରୁ ବଡ଼ କଥା ହେଉଛି କୋରେଇ ବାସୀଙ୍କ ଦାବିକୁ ସମର୍ଥନ ଜଣାଇ ଝିଲିକ ମଧ୍ୟ ନିର୍ବାଚନ ମୈଦାନକୁ ଓଲ୍ହାଇବା ପାଇଁ ପ୍ରସ୍ତୁତ ବୋଲି ସଙ୍କେତ ଦେଇଛନ୍ତି।

ଯଦି ମୁଖ୍ୟମନ୍ତ୍ରୀ ସୁଯୋଗ ଦିଅନ୍ତି ତେବେ ସେ ନିଶ୍ଚୟ ଲଢ଼ିବେ ବୋଲି କହିଛନ୍ତି ଅଭିନେତ୍ରୀ ଝିଲିକ ଭୋଟାଚାର୍ଯ୍ୟ।ତେବେ ଝିଲିକଙ୍କ ଏଭଳି ବୟାନ ପରେ କୋରେଇ ନିର୍ବାଚନ ମଣ୍ଡଳୀକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ କୋରେଇ ଆସନ ପାଇଁ ଆକାଶ ଦାସ ନାୟକଙ୍କୁ ବିଜେଡି ଟିକେଟ ଦେବ ବୋଲି ଚର୍ଚ୍ଚା ହେଉଛି କିନ୍ତୁ କିଛି ଦିନ ପୂର୍ବରୁ ଆକାଶ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ଏହା ଫଳରେ କୋରେଇରୁ ନୂଆ ମୁହଁ ଖୋଜୁଛି ଶାସକ ଦଳ।

ତେବେ ପୂର୍ବରୁ କୋରେଇ ଆସନରୁ ନିର୍ବାଚନ ଲଢ଼ି ବିଧାୟକ ହୋଇ ସାରିଛନ୍ତି ଝିଲିକଙ୍କ ସ୍ୱାମୀ ପ୍ରୀତିରଞ୍ଜନ ଘୋଡାଇ। ୨୦୦୯ ରେ କୋରେଇରୁ ବିଜେଡି ଟିକଟରେ ପ୍ରାର୍ଥୀ ହୋଇଥିବା ପ୍ରୀତିରଞ୍ଜନ ୨୫୦୦୦ ରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ। ତେଣୁ କୋରେଇରେ ପ୍ରୀତିରଞ୍ଜନଙ୍କର ପୁରୁଣା ସଙ୍ଗଠନ ରହିଛି। ଯେଉଁଥିପାଇଁ ବିଜେଡି ପୁଣି ଥରେ ଘୋଡେଇ ପରିବାରରୁ କାହାକୁ କୋରେଇ ଆସନରେ ପ୍ରାର୍ଥୀ କରିବା ପାଇଁ ଅଙ୍କ କୋଷୁଥିବା ଚର୍ଚ୍ଚା ହେଉଛି। ଯଦି ଝିଲିକ ଏଠାରେ ବିଜେଡି ଟିକେଟରେ ପ୍ରାର୍ଥୀ ହେଉଛନ୍ତି ତାହେଲେ ଆକାଶ ଦାସ ନାୟକଙ୍କ ସହ ତାଙ୍କର କଡା ଟକର ହେବ ବୋଲି କୁହାଯାଉଛି। କାରଣ ଝିଲିକ ମଧ୍ୟ କୋରେଇରେ ଲଢ଼ିବା ପାଇଁ ପ୍ରସ୍ତୁତ ଥିବା ଜଣାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *