ସାଙ୍ଗ ହୋଇ ମଦ ପିଇବା ହେଲା କାଳ। ମଦ ଦୋକାନରେ ମଦ ପିଉ ପିଉ ଚାଲିଗଲା…।
ମୟୁରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ରିପୋର୍ଟ ଅନୁସାରେ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଅଞ୍ଚଳର ମହାଡୁମା ଗାଁର କୃଷ୍ଣଚନ୍ଦ୍ର ପାତ୍ର ଦୀର୍ଘ ୧୦ ବର୍ଷ ହେବ ବାରିପଦା ହୋଣ୍ଡା ଶୋରୁମରେ ଜଣେ ସେଲସମ୍ୟାନ ଭାବରେ କାମ କରି ଆସୁଥିଲେ। ଆଉ ଗତ କାଲି ରାତିରେ ବାରିପଦା ସଦର ଥାନା ଅଞ୍ଚଳ ପାଲବଣି ବାୟୁପାସ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନକୁ କୃଷ୍ଣଚନ୍ଦ୍ର ପାତ୍ର ନିଜ ସାଙ୍ଗସାଥୀଙ୍କ ସହିତ ମଦ ପିଇବା ପାଇଁ ଯାଇଥିଲେ।
କିନ୍ତୁ କୌଣସି କାରଣ ବଶତଃ ଝଗଡା ହେବାରୁ ଗଣ୍ଡଗୋଳ ହୋଇ ଧସ୍ତାଧସ୍ତି ହୋଇଥିଲା। ଆଉ କିଛି ସମୟ ପରେ ଉଗ୍ର ରୂପ ନେଇଥିଲା ଏଇ ଧସ୍ତାଧସ୍ତି। ଯେଉଁ କାରଣ ପାଇଁ ଚାଲିଗଲା କୃଷ୍ଣଚନ୍ଦ୍ର ପାତ୍ରଙ୍କ ଜୀବନ।ତେବେ ଉକ୍ତ ମୋଦ ଦୋକାନରେ ଠିପି ବନ୍ଦ ଲେଖା ହୋଇଥିବା ବେଳେ ସେମାନେ ସେଠାରେ କେମିତି ମଦ ପିଇଲେ ତାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।
ତେବେ ଘଟଣାଟି କାଲି ରାତି ପ୍ରାୟ ୧୧ ଟା ସମୟରେ ଘଟିଥିବା ସ୍ଥାନୀୟ ଲୋକ ମଧ୍ୟ କହିଛନ୍ତି। କିନ୍ତୁ ଘଟଣା ଦିନ ପୋଲିସ ଆସିନଥିଲା ବରଂ ତା’ପର ଦିନ ସକାଳ ପ୍ରାୟ ୮.୩୦ ମିନିଟରେ ଆସିଥିଲା। ଯାହା ଫଳରେ ରାତି ସାରା ମୃତ ଦେହଟି ମଦ ଦୋକାନ ସାମ୍ନାରେ ସେମିତି ପଡିକି ହିଁ ରହିଥିଲା। ଆଉ ଏବେ ପ୍ରଶ୍ନ ଉଠୁଛି କି ମୋଦ ଦୋକାନରେ ପୋଲିସକୁ ଖବର ଦେଇଥିଲେ କି ନାହିଁ। ନାଁ ଜାଣିଶୁଣି ଘଟଣାକୁ ଚାପି ଦେବା ପାଇଁ ଚେଷ୍ଟା କରାଯାଇଥିଲା।କାଉଣ୍ଟର ସାମ୍ନାରେ ଏକ CCTV କ୍ୟାମେରା ମଧ୍ୟ ଲାଗିଛି। ଯାହାକୁ ପୋଲିସ ଏବେ ତଦନ୍ତ କରୁଛି।
ତେବେ କୃଷ୍ଣଚନ୍ଦ୍ରଙ୍କ ପରିବାରରେ ତାଙ୍କ ସ୍ତ୍ରୀଙ୍କ ସହିତ ଏକ ନାବାଳକ ପୁଅ ଆଉ ଝିଅ ମଧ୍ୟ ରହିଛି। ସେପଟେ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁର ପରିବେଶ।ସେପଟେ ମୃତ ଦେହକୁ ପୋଲିସ ଜବତ କରି ବ୍ୟବଚ୍ଛେଦ ପାଇଁ PRM ମେଡିକାଲ କଲେଜକୁ ପଠାଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଥିବା ବେଳେ ପୋଲିସ ତଦନ୍ତ କରିବା ପରେ ଏହାର ପ୍ରକୃତ କାରଣ ଜଣା ପଡିବ।ସେପଟେ କୃଷ୍ଣଙ୍କ ଭାଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି ଯେଉଁଥିପାଇଁ ପୋଲିସ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଦରକାର।