ପୁଣି ଥରେ ଜୋର ଧରିଲା ମେଣ୍ଟ ଚର୍ଚ୍ଚା.. ଦିଲ୍ଲୀରୁ ଡାକରା ପାଇ ଯାଇଛନ୍ତି ରାଜ୍ୟ ବିଜେପିର ନେତା I

ପୁଣି ଘନେଇଲା ମେଣ୍ଟ ଚର୍ଚ୍ଚା । ଡ଼ାକରା ପାଇ ଦିଲ୍ଲୀ ଗଲେ ରାଜ୍ୟ ବିଜେପି ନେତା । ହଁ ଦର୍ଶକବନ୍ଧୁ ରାଜ୍ୟ ରାଜନୀତିରେ ମେଣ୍ଟ ଚର୍ଚ୍ଚା ଥମିବାର ନାଁ ଧରୁନି । ୫ ଦିନ ହେଲା ଯୁଆଡ଼େ ଗଲେ ସେହି ଗୋଟିଏ ଆଲୋଚନା ବିଜେଡି-ବିଜେପି ମେଣ୍ଟ ହେବ ନା ନାହିଁ? ଯଦି ମେଣ୍ଟ ହୁଏ, ତେବେ କିଏ କେଉଁ ଆସନ ପାଇବ? ବିଜେଡି ଜିତିଥିବା ଲୋକ‌ସଭା କିମ୍ବା ବିଧାନସଭା ଆସନକୁ କ’ଣ ସତରେ ବିଜେପି ହାତକୁ ଟେକି ଦେବ? ନା ବିଜେପି ସାଂସଦ ଯେଉଁଠି ଜିତିଛନ୍ତି ତାହାକୁ ବିଜେଡି ନେଇଯିବ? ଏମିତି ଗୋଲକଧନ୍ଦା ମଧ୍ୟରେ ଭୁବନେଶ୍ବର ଲୋକସଭା ସମେତ ରାଜଧାନୀର ତିନି ବିଧାନସଭା ନିର୍ବାଚନମଣ୍ଡଳୀର ରାଜନୈତିକ ପାଣିପାଗ ଏକପ୍ରକାର ନିସ୍ତବ୍ଧ ହୋଇଯାଇଛି ।

ସୂଚନା ମୁତାବକ, ରବିବାର ସନ୍ଧ୍ୟାରେ ବିଜେପିର ରାଜ୍ୟ ନିର୍ବାଚନ କମିଟି ବୈଠକ ଡକାଯାଇଥିଲା । କେଉଁ ନିର୍ବାଚନ ମଣ୍ଡଳୀରୁ କିଏ ଲଢିବ ସେନେଇ ଆଲୋଚନା ହୋଇଥାନ୍ତା । ହେଲେ ହଠାତ୍ ଦିଲ୍ଲୀରୁ ଫୋନ ଆସିଥିଲା । ପରେ ସବୁ କାର୍ଯ୍ୟକ୍ରମ ବାତିଲ କରି ବିଜେପି ସଭାପତି ମନମୋହନ ସାମଲ ଓ ରାଜ୍ୟ ବିଜେପି ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ବରିଷ୍ଠ ବିଜେପି ନେତା ଦିଲ୍ଲୀ ଯାଇଛନ୍ତି ।

ବିଜେଡି-ବିଜେପି ମେଣ୍ଟ ସମ୍ଭାବନା ସମ୍ପର୍କରେ ରାଜ୍ୟ ନେତୃତ୍ୱଙ୍କ ଅପରିପକ୍ୱ ପ୍ରତିକ୍ର୍ରିୟା ଏବଂ ଏକତରଫା ବୟାନବାଜି ଉପରେ କେନ୍ଦ୍ରୀୟ ନେତୃତ୍ୱ ଜବାବ ମାଗିବେ ବୋଲି କୁହାଯାଉଛି । ଅନ୍ୟପକ୍ଷେ କାଲି ସନ୍ଧ୍ୟା ସୁଦ୍ଧା ବିଦ୍ଧିବଦ୍ଧ ଭାବେ ମେଣ୍ଟ ନେଇ ଘୋଷଣ ହେବ ବୋଲି ଶୁଣିବାକୁ ମିଳୁଛି । ଏଥିପାଇଁ ଗୃହମନ୍ତ୍ରୀ ଅମିତ ଶାହା ଭୁବନେଶ୍ୱର ଆସିପାରନ୍ତି । ଏବଂ ଶାହ-ନବୀନ ମେଣ୍ଟ ସମ୍ପର୍କରେ ଘୋଷଣା କରିବେ ବୋଲି ଦିଲ୍ଲୀ ସୂତ୍ରରୁ ମୂଚନା ମିଳିଛି । ମେଣ୍ଟ ହେବନି, ସବୁ ଆସନରେ ବିଜେପି ଏକାକୀ ଲଢ଼ିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ । ତେବେ ମେଣ୍ଟ ପାଇଁ ସେମାନେ ଦିଲ୍ଲୀ ଯାଉଥିବା କଥାକୁ ସମସ୍ତେ ଖଣ୍ଡନ କରିଛନ୍ତି ।

ମେଣ୍ଟ ପାଇଁ କୌଣସି ଆଲୋଚନା ହୋଇନଥିବା ଦୋହରାଇଛନ୍ତି ରାଜ୍ୟ ବିଜେପି ନିର୍ବାଚନୀ ପ୍ରଭାରୀ ବିଜୟପାଲ ସିଂ ତୋମାର । ଗତକାଲି ଦିଲ୍ଲୀ ଯିବା ବେଳେ ମନମୋହନଙ୍କ ସ୍ୱର ସାମାନ୍ୟ ବଦଳିଯାଇଥିଲା । ମେଣ୍ଟକୁ ନେଇ କିଛି କହିବା ଠିକ ନୁହେଁ ବୋଲି ସେ କହିଥିଲେ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ତେବେ ଦୁଇ ଦିନ ଭିତରେ ସବୁ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *