ହରିୟାଣାରୁ ଆସିଛି ମଇଁଷି ଯୁବରାଜ । ତାର ବୀର୍ଯ୍ୟ ବିକି କୋଟିପତି ହୋଇଛନ୍ତି ଏ ବେପାରୀ..।
ହରିଆଣାର ମଇଁଷି ଷଣ୍ଢ ‘ଯୁବରାଜ’ । ଅନ୍ୟ ମଇଁଷି ଅପେକ୍ଷା ଖୁବ୍ ସ୍ବତନ୍ତ୍ର ଓ ଖାସ୍ । ଯୁବରାଜ୍ ପାଇଁ ଦିନକୁ ଖର୍ଚ୍ଚ ହୁଏ ପାଖାପାଖି ୧୦ ହଜାର ଟଙ୍କା । ମଇଁଷି ବର୍ଷକୁ ରୋଜଗାର କରେ ୫୦ ଲକ୍ଷରୁ କୋଟିଏ ଟଙ୍କା । ଏବେ ଭୁବନେଶ୍ବରରେ ଆସି ପହଞ୍ଚିଛି ସ୍ବତନ୍ତ୍ର ମଇଁଷି ଷଣ୍ଢ । ମତ୍ସ୍ୟ- ପ୍ରାଣୀ ସମାବେଶର ମୁଖ୍ୟ ଆକର୍ଷଣ ପାଲଟିବ ‘ଯୁବରାଜ’ । ତେବେ ବନ୍ଧୁଗଣ ଶୁକ୍ରବାର ଠାରୁ ରାଜଧାନୀ ଜନତା ମଇଦାନରେ ଆରମ୍ଭ ହେଉଛି ପ୍ରଥମ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ । ଯାହା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ସମାବେଶ ବୁଲିବା ପାଇଁ କୌଣସି କଟକଣା ନାହିଁ । ଏଥିରେ ସମସ୍ତେ ବୁଲିପାରିବେ ।
ତେବେ ସମାବେଶର ମୁଖ୍ୟ ଆକର୍ଷଣ ହରିଆଣାର ମଇଁଷି ଷଣ୍ଢ ଯୁବରାଜ୍କୁ ନେଇ ଭୁବନେଶ୍ବରରେ ପହଞ୍ଚିଛନ୍ତି ମାଲିକ କର୍ମବୀର ସିଂ । ଖାସ୍ କଥା ହେଉଛି ‘ଯୁବରାଜ’ ହେଉଛି ମୁରା ପ୍ରଜାତିର । ଯାହାର ଲମ୍ବା ୯ଫୁଟ୍ ହୋଇଥିବା ବେଳେ ଉଚ୍ଚତା ୫ଫୁଟ୍ ୯ଇଞ୍ଚ ରହିଛି । ୧୫ ଶହ କିଲୋଗ୍ରାମ ଓଜନ ରହିଥିବା ବେଳେ ବୟସ ହେବ ୧୨ ବର୍ଷ ସାଢ଼େ ୧୨ ବର୍ଷ ।
ମାଲିକ କର୍ମବୀରଙ୍କ କହିବା ଅନୁସାରେ ଯୁବରାଜ ପ୍ରତିଦିନ ୨୦ ଲିଟର କ୍ଷୀର ପିଇବା ସହିତ ୧୨ କେଜି ପରିବା ଖାଉଛି । ଆଉ ସିଜିନ ଅନୁଯାୟୀ ଫଳ ମଧ୍ୟ ଖାଇଥାଏ ଯେପରିକି କଦଳୀ, ସେଓ, ଅଙ୍ଗୁର, ପପାୟା । ମଣିଷକୁ ଯେପରି ଗରମ କିମ୍ଵା ଶୀତ ଅନୁଭୂତ ହୋଇଥାଏ ସେହିପରି ସମାନ ଯୁବରାଜକୁ ମଧ୍ୟ ଅନୁଭୂତ ହୋଇଥାଏ । ତେଣୁ ଗରମ ଦିନରେ ତା ପାଇଁ ଏସି, ଫ୍ୟାନ ଆଦିର ବ୍ୟବସ୍ଥା ଥିବା ବେଳେ ଶୀତ ଦିନରେ ସବୁ ଆବଦ୍ଧ କରି ରଖାଯାଇଥାଏ ।
ଏହିପରି ଦିନକୁ ‘ଯୁବରାଜ’ ପଛରେ ୬ରୁ ୮ ହଜାର ଟଙ୍କା ଖର୍ଚ୍ଚ ହେଉଛି । ବ୍ୟକ୍ତିଗତ ଡାକ୍ତର ମଧ୍ୟ ରହିଛି । ଯୁବରାଜ ଗୋଟିଏ ଦିନରେ ଦୁଇରୁ ତିନିଥର ଗାଧୋଇ ଥିବା ବେଳେ ତା ଦେହରେ ସୋରିଷ ତେଲ ମାଲିସ୍ କରାଯାଏ । ଏହାର ଶୁକ୍ରାଣୁ ବିକ୍ରୟ କରାଯାଇ ତାର ବଂଶ ବଢ଼ାଯାଏ । ପୂରା ଦେଶ ସାରା ତାର ଶୁକ୍ରାଣୁ ପଠାଯାଏ ଏବଂ ସେଥିପାଇଁ ଡିଷ୍ଟ୍ରିବ୍ୟୁଟର ମଧ୍ୟ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଯୁବରାଜର ଶୁକ୍ରାଣୁରୁ ପାଖାପାଖି ଦେଢ ଲକ୍ଷ ପିଲା ଜନ୍ମ ହୋଇ ସାରିଲେଣି । ବର୍ଷକୁ ଯୁବରାଜ ଯୋଗୁଁ ମାଲିକ କର୍ମବୀର ୫୦ ଲକ୍ଷରୁ କୋଟିଏ ଟଙ୍କା ରୋଜଗାର କରିଥାନ୍ତି ।