ମୂର୍ତ୍ତିକାର ଅରୁଣଙ୍କ ଆଖିରୁ ଶୁଖୁନି ଲୁହ । କାନ୍ଦି କାନ୍ଦି କହିଲେ ମୁଁ ବିଶ୍ୱର ସବୁଠୁ ଭାଗ୍ୟବାନ ମଣିଷ ।

ଗର୍ଭଗୃହରେ ବିରାଜିଲେ ରାମଲାଲା । ଏହି ବିଶେଷ ମୁହୂର୍ତ୍ତର ସାକ୍ଷୀ ହୋଇ ନିଜକୁ ଆଜି ଧନ୍ୟ ଧନ୍ୟ କହୁଛନ୍ତି ପ୍ରତ୍ୟେକ ଭାରତୀୟ । ଦୀର୍ଘ ୫୦୦ ବର୍ଷର ସ୍ବପ୍ନ ଆଜି ପୂରଣ ହୋଇଛି । ରାମଲାଲାଙ୍କ ୫ବର୍ଷର ବାଲ୍ୟ ସ୍ବରୂପ ମୂର୍ତ୍ତିଙ୍କ ପ୍ରାଣ ପ୍ରତିଷ୍ଠା ପରେ ଖ୍ୟାତନାମା ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ପ୍ରତିକ୍ରିୟା ଆସିଛି । ଆଉ ପ୍ରାଣ ପ୍ରତିଷ୍ଠା ପରେ ଭାବ ବିହ୍ୱଳ ହୋଇ ଯାଇଥିଲେ ମୂର୍ତ୍ତି କାରିଗର ଅରୁଣ । କହିଥିଲେ ଆଖି ଯନ୍ତ୍ରଣା ସହି କେମିତି ନିର୍ମାଣ କରିଥିଲେ ମୂର୍ତ୍ତି । ଏଥି ସହିତ ରାମ ଲାଲାଙ୍କ ମୂର୍ତ୍ତି ନିର୍ମାତା ଅରୁଣ ନିଜକୁ ପୃଥିବୀର ସବୁଠୁ ଭାଗ୍ୟବାନ ବ୍ୟକ୍ତି ବୋଲି ଅନୁଭବ କରୁଥିବା ସୋମବାର ପ୍ରକାଶ କରିଛନ୍ତି ।

ଆଜ୍ଞା ହଁ ବନ୍ଧୁଗଣ ରାମଲାଲାଙ୍କ ମୂର୍ତ୍ତି ତିଆରି କରିଥିବା ଅରୁଣ ଯୋଗୀରାଜ ସୋମବାର ନବନିର୍ମିତ ରାମମନ୍ଦିରର ପ୍ରାଣପ୍ରତିଷ୍ଠା ସମାରୋହରେ ଯୋଗଦେବା ପାଇଁ ମନ୍ଦିର ସହର ଅଯୋଧ୍ୟାରେ ପହଞ୍ଚିଥିଲେ । ତାଙ୍କ ଦ୍ବାରା ଗଢାଯାଇଥିବା ମୂର୍ତ୍ତି ମନ୍ଦିରରେ ସ୍ଥାପିତ ହେବା ପରେ ସେ କିପରି ଅନୁଭବ କରୁଥିବା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ କରିଥିଲେ ।

ଏହାର ଉତ୍ତରରେ ମହୀଶୂରର ସ୍ଥପତି ଯୋଗୀରାଜ କହିଛନ୍ତି ଯେ ସେ ନିଜକୁ ଏବେ ପୃଥିବୀର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ବୋଲି ଭାବୁଛନ୍ତି । ‘ମୁଁ ଅନୁଭବ କରୁଛି ଯେ ମୁଁ ବର୍ତ୍ତମାନ ପୃଥିବୀର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି । ମୋ ଉପରେ ମୋର ପୂର୍ବପୁରୁଷ, ପରିବାର ସଦସ୍ୟ ଏବଂ ଭଗବାନ୍ ରାମଲାଲାଙ୍କ ଆଶୀର୍ବାଦ ସବୁବେଳେ ରହିଛି । ମୋତେ ଲାଗୁଛି ଯେମିତି ମୁଁ ଏକ ସ୍ୱପ୍ନ ଦୁନିଆରେ ଅଛି’ ବୋଲି ଅରୁଣ ଯୋଗୀରାଜ କହିଛନ୍ତି । ଭଗବାନ ରାମ ହିଁ ତାଙ୍କୁ ମୂର୍ତ୍ତି ନିର୍ମାଣ ପାଇଁ ଚୟନ କରିଥିଲେ ବୋଲି ସେ ବିଶ୍ୱାସ କରୁଛନ୍ତି ।

ସେ ବହୁ ରାତି ଉଜାଗର ରହି ଆଖିରେ ଯନ୍ତ୍ରଣା ହେବା ସତ୍ବେ ମୂର୍ତ୍ତି ନିର୍ମାଣକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିଥିଲେ । ଯୋଗୀରାଜ ଆହୁରି କହିଛନ୍ତି ଯେ, ଭଗବାନ ରାମ ତାଙ୍କୁ ଓ ତାଙ୍କ ପରିବାରକୁ ସବୁ ବିପଦରୁ ଘଣ୍ଟ ଘୋଡ଼ାଇ ଆସିଛନ୍ତି । ରାମ ଲାଲାଙ୍କ ମୂର୍ତ୍ତି ନିର୍ମାଣ ଲାଗି ଯୋଗୀରାଜଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଛି । ମନ୍ଦିର ଟ୍ରଷ୍ଟର ନିମନ୍ତ୍ରଣକ୍ରମେ ସେ ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *