“ଦଶଦିନ ପର୍ଯ୍ୟନ୍ତ ଆମେ କେବଳ ମୁଢି ଖାଇ ରହୁଥିଲୁ । ତା’ପରେ ଭାତ ଖାଇଲୁ” : ଓଡ଼ିଆ ଶ୍ରମିକ କହିଲେ ସୁଡ଼ଙ୍ଗ ଭିତରର କାହାଣୀ ।

ଦୀର୍ଘ ୧୭ ଦିନର ଅହୋରାତ୍ର ସଂଗ୍ରାମ ପରେ ଶେଷରେ ଅସମ୍ଭବ ସମ୍ଭବରେ ପରିଣତ ହେଲା । ହାରିଲା ମୃତ୍ୟୁ ଆଉ ଜିତିଲା ଜୀବନ । ଟନେଲର ଅନ୍ଧକାରରୁ ବାହାରି ଆଲୋକ ଦେଖିଲେ ୪୧ ଶ୍ରମିକ । କାମ ଦେଲା ଉଦ୍ଧାରକାରୀ ଟିମର ଅକ୍ଳାନ୍ତ ପରିଶ୍ରମ । ଦେଶବାସୀଙ୍କ ପ୍ରାର୍ଥନା ବି ସଫଳ ହେଲା । ଦୀର୍ଘ ୧୭ ଦିନ ଧରି ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲ ଭିତରେ ଫସି ରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଗତ ରାତିରେ ଉଦ୍ଧାର କରାଯିବା ପରେ ସମଗ୍ର ଦେଶରେ ଏକପ୍ରକାର ଉତ୍ସବର ମାହୋଲ ସୃଷ୍ଟି ହୋଇଛି ।

ଏହି ୪୧ ଜଣଙ୍କ ମଧ୍ୟରେ ଓଡ଼ିଶାର ୫ ଜଣ ବି ଅଛନ୍ତି । ଟନେଲରୁ ବାହାରିବା ପରେ ଗତ ୧୭ ଦିନର ଲୋମଟାଙ୍କୁରା ଅନୁଭୂତି ବଖାଣିଛନ୍ତି ଓଡ଼ିଆ ଶ୍ରମିକ । କହି ରଖିବୁ ଯେ ଟନେଲରେ ଫସି ରହିଥିବା ୫ଓଡିଆଙ୍କ ମଧ୍ୟରେ ୩ ଜଣ ମୟୂରଭଞ୍ଜର ଥିଲେ। ଆଉ ନିକଟରେ ସେମାନଙ୍କ ମଧ୍ୟରୁ ଉଦ୍ଧାର ହୋଇଥିବା ମୟୂରଭଞ୍ଜର ବିଶେଶ୍ୱର ନାଏକଙ୍କ ସହ ବାର୍ତ୍ତାଳାପ ସମୟରେ ସେ ଟନେଲ ଭିତରର ଅନୁଭୂତି ବଖାଣିଛନ୍ତି ।

ସେ କହିଛନ୍ତି, ନଭେମ୍ବର ୧୧ ତାରିଖ ରାତି ୮ଟାରେ କାମକୁ ଯାଇଥିଲେ । ମାତ୍ର କାମ ସାରି ଫେରିଲା ବେଳକୁ ବାଟ ବନ୍ଦ ହୋଇଯାଇଥିଲା । ୧୮ ଘଣ୍ଟା ପର୍ଯ୍ୟନ୍ତ ସେମାନେ ଅମ୍ଳଜାନ ପାଇପାରି ନଥିଲେ । ଏହାପରେ ଉପସ୍ଥିତ ବୁଦ୍ଧି ଖଟାଇ ଟନେଲ ଭିତରେ ପମ୍ପ ଚଲାଇ ପାଇପ୍‌ ବାଟେ ପାଣି ଛାଡ଼ିଥିଲେ । ଫଳରେ ବାହାରେ ଥିବା କମ୍ପାନୀ କର୍ମଚାରୀ ସେମାନେ ଫସି ଯାଇଥିବା ଜାଣି ପାରିଥିଲେ । ପ୍ରଥମେ ସେହି ପାଇପ ଦ୍ୱାରା ବାହାର ସହ ଯୋଗାଯୋଗ ହୋଇଥିଲା । ମୋବାଇଲ୍ ମିଳିଥିଲା ତାପରେ ବୋର୍ ଲାଗି ନଥିଲା ଟାଇମ୍ ପାସ୍ ହେଇ ଯାଇଥିଲା ।

ଆହୁରି ମଧ୍ୟ ସେହି ପାଇପରେ ମୁଢ଼ି, କାଜୁ, କିସମିସ୍, ଚଣା ଆଦି ସେମାନଙ୍କ ନିକଟରେ ପହଞ୍ଚିଥିଲା । ପ୍ରଥମ ୧୦ଦିନ କେବଳ ତାହାକୁ ଖାଇ ଦିନ କାଟିଥିଲେ । ଟନେଲ ଭିତରେ ବହୁ ପ୍ରତିକୂଳ ପରିସ୍ଥିତିରେ ଥିଲେ ବି ଏକାଠି ଥିବାରୁ ମନୋବଳ ଭାଙ୍ଗି ନ ଥିଲା, ଉଦ୍ଧାର ଆଶା ରହିଥିଲା ବୋଲି ବିଶେଶ୍ୱର କହିଛନ୍ତି । ଏହାପରେ ୬ ଇଞ୍ଚର ପାଇପ ପକାଇ ଭାତ, ରୁଟି, ଡାଲି ପଠା ଯାଇଥିଲା । ପ୍ରାୟ ୧୦, ୧୨ ଦିନ ପରେ ପରିବାର ଲୋକଙ୍କ ସହ କଥା ହୋଇ ପାରିଥିଲେ । ଏଭଳି କଠିନ ପରିସ୍ଥିତିରେ କିନ୍ତୁ ଟନେଲ ଭିତରେ ପାଣି ଓ ଲାଇନ କଟି ନଥିଲା । ଦୀର୍ଘ ୧୭ ଦିନର ଅପେକ୍ଷା ପରେ ଯାଇ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇ ପାରିଥିଲା ।

Leave a Reply

Your email address will not be published. Required fields are marked *