ମୁଁ ବହୁତ ଅସୁବିଧାରେ ଅଛି , ମୋ କଥା ଟିକେ ବୁଝନ୍ତୁ

ବୟସ ଆସିକି ୭୦ ଟପିଲାଣି । ଚମ ଧୁଡୁଧୁଡୁ ହୋଇଗଲାଣି । ଆଖିକୁ ମଧ୍ୟ ଠିକରେ ଆଉ ଦିଶୁନି କି କାନକୁ ଭଲ ଭାବରେ ଶୁଭୁନି । ମୁଣ୍ଡ ଉପରେ ଆସରା କହିଲେ କେଇଖଣ୍ଡ ଛିଣ୍ଡା ଜରି ପାଲ ଢଙ୍କା ହୋଇଥିବା ଘର ଖଣ୍ଡିଏ । ଏଭଳି ଅସହାୟ ସ୍ଥିତିରେ ପଡିରହିଛନ୍ତି ଅନ୍ନପୂର୍ଣ୍ଣା ଥିଏଟର ରେ ଦୀର୍ଘ ଦିନ ଧରି କାମ କରୁଥିବା ମିନତୀ ଦାସ ।

ଏପରିକି ସେହି ଗୋଟିଏ ଘରେ ରୋଷେଇ କରୁଛନ୍ତି ସେଇଠି ଶୋଉଛନ୍ତି । ସରକାରୀ ଯୋଜନା ସତେ ଯେମିତି ତାଙ୍କ ପାଇଁ ସାତ ସପନ । ଏବେ ଆସନ୍ତୁ ସମ୍ପୂର୍ଣ ଘଟଣା ଉପରେ ନଜର ପକାଇବା । ମିଳିଥିବା ସୂଚନା ଅନୁସାରେ ୧୯୬୪ ମସିହାରେ ଜନ୍ମ ଗ୍ରହଣ କରିଥିବା ଏହି ୭୭ ବର୍ଷୀୟା ବୃଦ୍ଧା ଜଣଙ୍କ ନାମ ହେଉଛି ମିନତୀ ଦାସ । ନିଜର ସମ୍ପୂର୍ଣ ଜୀବନକୁ ସେ କଳାକୁ ସମର୍ପି ଦେଇଥିଲେ ।

ଅନ୍ନପୂର୍ଣ୍ଣା ମଞ୍ଚରେ ଦୀର୍ଘ ଦିନ ହେଲା କାର୍ଯ୍ୟ କରିଥିଲେ । ଏବଂ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ମଞ୍ଚ ନାଟକରେ ନିଜର ଅଭିନୟର ଯାଦୁ ଓ ପାରଦର୍ଶିତା ଦେଖାଇଛନ୍ତି । ହେଲେ ଆଜିର ସମୟରେ ସେହି କଳାକାର ଜଣକ ଅସହାୟ ଅବସ୍ଥାରେ ଭିକ ମାଗୁଛନ୍ତି ଗୁହାରି କରୁଛନ୍ତି । ବୟସ ବଢିବା ସହିତ କାର୍ଯ୍ୟକ୍ଷମ ରହିଲେ ନାହିଁ ଓ ପରେ ଭୁଲିଗଲେ ତାଙ୍କୁ ସମସ୍ତେ । ଛାଡ଼ି ଦେଲେ ତାଙ୍କୁ ସେପରି ଅବହେଳିତ ଅବସ୍ଥା ରେ ।

କହିବାକୁ କହିଲେ ବର୍ତମାନ ସମୟରେ ନିଜର କହିଲେ କେହି ବୋଲି ନାହିଁ ବୃଦ୍ଧା ଜଣଙ୍କର । ଅଭିନୟ ଜୀବନରୁ ଅବସର ନେବା ପରେ ଆର୍ଥିକ ପରିସ୍ଥିତି ବହୁତ ଖରାପ ହୋଇଗଲା । ଆଉ ଏପରି ଅବସ୍ଥା ହୋଇଗଲା ଯେ ରହିବା ପାଇଁ ମୁଣ୍ଡ ଗୁଞ୍ଜିବା ପାଇଁ ଖଣ୍ଡେ ଛାତ ମିଳିଲା ନାହିଁ । ଶେଷରେ ଏକ ବିପଦ ସଙ୍କୁଳ ଅବସ୍ଥା ରେ ଥିବା ଭଙ୍ଗା ଦଦରା କୋଠା ତଳେ ଏକ ଝୁମ୍ପୁଡି ଘରେ ଜୀବନ ଅତିବାହିତ କରୁଛନ୍ତି ।

ଖରା, ବର୍ଷା, ଶୀତ କାକର ସବୁକୁ ସହି ସେହିଠାରେ ପଡି ରହିଛନ୍ତି । ଆଉ ଶେଷରେ ତାଙ୍କୁ ଟିକିଏ ସାହାଯ୍ୟ କରିବା ପାଇଁ ମିଡ଼ିଆ ସାମ୍ନାରେ ଆକୁଳ ନିବେଦନ କରିଛନ୍ତି । ସେ ସରକାରଙ୍କୁ ଗୁହାରୀ କରିଛନ୍ତି ଯେ ଆବାସ ଯୋଜନାରେ ତାଙ୍କୁ ରହିବା ପାଇଁ ଘର ଖଣ୍ଡେ ମିଳିଗଲେ ଏବଂ ଭତ୍ତା ସାହାଯ୍ୟରେ କିଛି ଅର୍ଥ ମିଳିଲେ ସେ ବାକି ଜୀବନ ଟିକକ କଷ୍ଟେ ମଷ୍ଟେ କାଟି ଦିଅନ୍ତେ ।

ସେ କାନ୍ଦ କାନ୍ଦ ହୋଇ ଆହୁରି ମଧ୍ୟ କହିଛନ୍ତି କି ତାଙ୍କୁ କେହି କିଛି ଦେବାକୁ ନାହାଁନ୍ତି କି କେହି ନେବାକୁ ନାହାଁନ୍ତି । ସେ ବହୁତ୍ ଅସୁବିଧାରେ ଅଛନ୍ତି । ସରକାର ତାଙ୍କ କଥା ଦେଖନ୍ତୁ ଆଉ ଟିକିଏ ବୁଝନ୍ତୁ ବୋଲି ସେ ଆକୁଳ ନିବେଦନ କରିଛନ୍ତି । ତେବେ ଯଥାଶୀଘ୍ର ସରକାର ତାଙ୍କ କଥାକୁ ଗୁରୁତ୍ବ ଦେବା ସହିତ ସାହାର୍ଯ୍ୟ କରିବେ ବୋଲି ଆମର ଆଶା ଓ ବିଶ୍ୱାସ ।

Leave a Reply

Your email address will not be published. Required fields are marked *