“ମୋ ଶୁଆକୁ ଖୋଜି ଆଣିଦେଲେ ୫ ହଜାର ଟଙ୍କା ଦେବି”

ଶୁଆ ନିରୁଦ୍ଦିଷ୍ଟ । ତାକୁ ଖୋଜିଦେବା ପାଇଁ ବିଜ୍ଞାପନ ଓ ପୁରସ୍କାର ରାଶି ଘୋଷଣା କରାଯାଇଛି । ଏଭଳି କୌତୂହଳ କଥା ଦେଖିବାକୁ ମିଳିଛି କଟକ ସହରର ତୁଳସୀପୁର ଅଞ୍ଚଳରେ । ପ୍ରଫେସର ସୁସ୍ମିତା ବେହେରାଙ୍କ ପାଳିତ ଶୁଆ ‘କୋକୋ’ ପାଇଁ ପୂରା ପରିବାର ଏବେ ଚିନ୍ତିତ ହୋଇପଡିଛନ୍ତି ।

ଘରର ପୁଅ ଭଳି ସ୍ନେହଶ୍ରଦ୍ଧା କରିଆସୁଥିବା କୋକୋକୁ ଖୋଜିଦେଲେ ୫ ହଜାର ଟଙ୍କା ପୁରସ୍କାର ଦେବେ ବୋଲି ପରିବାର ପକ୍ଷରୁ ଘୋଷଣା କରାଯାଇଥିବା ସୁସ୍ମିତା କହିଛନ୍ତି । ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ପ୍ରଚାରପତ୍ର (ଲିଫଲେଟ୍‌) ମଧ୍ୟ ବାଣ୍ଟିଛନ୍ତି । ପ୍ରଫେସରଙ୍କ ଏଭଳି ପକ୍ଷୀପ୍ରେମକୁ ସାଧାରଣରେ ପ୍ରଶଂସା କରାଯାଉଛି । ବର୍ତମାନ ଜାଣିବା ସମ୍ପୂର୍ଣ ବିବରଣୀ । ତେବେ ସୂଚନା ମୁତାବକ ତୁଳସୀପୁର ମଧୁସୂଦନ ନଗରର ସୁସ୍ମିତା ବେହେରା ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଷ୍ଟାଣ୍ଡାର୍ଡସ୍‌ ଆଣ୍ଡ୍‌ ଟେକ୍ନୋଲୋଜି (ନିଷ୍ଟ)ର ପ୍ରଫେସର ଅଛନ୍ତି ।

ବର୍ଷେ ତଳେ ନିଷ୍ଟରେ ପଢ଼ାଉଥିବାବେଳେ ଏକ ଛୋଟ ଶୁଆ ଆହତ ଅବସ୍ଥାରେ ବାହାରେ ପଡ଼ିଥିଲା । ଶ୍ରୀମତୀ ବେହେରା ତା’ର ଚିକିତ୍ସା କରାଇ ତାକୁ ସୁସ୍ଥ କରାଇ ଥିଲେ । ପଶୁପକ୍ଷୀପ୍ରେମୀ ହୋଇଥିବାରୁ ଶୁଆକୁ ନିଜ ଘରକୁ ନେଇ ଆସିଥିଲେ । ଶୁଆର ନାଁ ଦିଆଯାଇଥିଲା ‘କୋକୋ’। ସେବେଠୁ କୋକୋ ସୁସ୍ମିତାଙ୍କ ପରିବାର ସଦସ୍ୟ ଜଣେ ଅନ୍ତରଙ୍ଗ ତଥା ଘନିଷ୍ଠ ସଦସ୍ୟ ଭାବେ ରହୁଥିଲା । ସ୍ୱାମୀ ଇଂ ଦୁର୍ଗେଶ କୁମାର ଏବଂ ପୁଅ ଧବମନ୍ୟୁ ମଧ୍ୟ କୋକୋକୁ ଭାରି ଯତ୍ନ କରୁଥିଲେ ।

ତେବେ ସବୁଠୁ ବଡ଼ କଥା ହେଉଛି ପୋଷା ଶୁଆ କୋକୋ ପଞ୍ଜୁରୀରେ ରହେ ନାହିଁ । ଘରେ ଖୋଲାରେ ବିଚରଣ କରେ । ସବୁ ଘରକୁ ତା’ର ଅବାଧ ପ୍ରବେଶ । ଏପରିକି ବିଛଣାରେ ବସେ । ଗୀତ ଗାଏ, ଡାକେ, କଥା ଶୁଣେ । ବାହାରକୁ ଗଲେ ଅନ୍ୟ ସଦସ୍ୟଙ୍କ ଭଳି ସାଙ୍ଗରେ ଯାଉଥିଲା

ଘରର ଖାସ୍‌ ସଦସ୍ୟ ପାଲଟି ଯାଇଥିଲା କୋକୋ । ହେଲେ ଗଲା ୫ ତାରିଖ ଦିନ ଜଣେ ପଡ଼ୋଶୀ ମାସ୍କ ପିନ୍ଧି ପାଖକୁ ଆସିବାରୁ ଡରି କୁଆଡ଼େ ଉଡ଼ିଗଲା । ଯେତେ ଖୋଜିଲେ ବି ମିଳୁନି କୋକୋ । ବହୁତ ଖୋଜା ଖୋଜି କଲେଣି । ପୋଷା ଶୁଆ ହୋଇଥିବାରୁ କାହା ଘରକୁ ଉଡିଯାଇଥିବ ବୋଲି ପ୍ରଫେସର ସୁସ୍ମିତା ଆଶା କରୁଛନ୍ତି । ତେଣୁ ବାଧ୍ୟ ହୋଇ ଲି-ଫ୍ଟ-ଲେ-ଟ୍‌ ମାଧ୍ୟମରେ ଶ୍ରୀମତୀ ବେହେରା ବିଜ୍ଞାପନ ଦେବା ସହ ୫ ହଜାର ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ।

ଆଉ ଶ୍ରୀମତୀ ବେହେରା ଆଶା ବାନ୍ଧିଛନ୍ତି ଯେ ନିଶ୍ଚୟ କୋକୋ ଫେରିଆସିବ । ସେଥିପାଇଁ ସେ ତାଙ୍କ ସ୍ବାମୀ ଏବଂ ପୁଅ ପ୍ରତ୍ୟେକ ଦିନ ନିଜେ ଖୋଜିବା ସହିତ ତାପାଇଁ ନେଟ୍ ରୁ ଏହାର ବିକଳ୍ପ ଦେଖିକି ବିଭିନ୍ନ ଖବର କାଗଜ ଠାରୁ ଆରମ୍ଭ କରି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ସବୁଥିରେ ନିଖୋଜ ଶୁଆ କୋକୋ ପାଇଁ ଦିଆଯାଇଛି ବିଜ୍ଞାପନ । ଯିଏ ପାଇବା ଖୋଜି ଆଣିଦେବା ପାଇଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *