ଜଣେ ବ୍ୟକ୍ତିଙ୍କର ବୟସ ୭୦ ବର୍ଷ। କିନ୍ତୁ ମନ ଦୁର୍ବଳ ହୋଇନାହିଁ। ଦୃଢ଼ ଇଚ୍ଛା ଓ ଭକ୍ତିର ଶକ୍ତି ତାଙ୍କୁ ଶ୍ରୀକ୍ଷେତ୍ର ଟାଣି ନେଉଛି। ରାଜସ୍ଥାନରୁ ଗୁରୁଣ୍ଡି ଗୁରୁଣ୍ଡି ସେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲରେ ପହଞ୍ଚିଲେଣି। ଈଶ୍ବର ଚାହିଁଲେ ତାଙ୍କର ଏହି ଭକ୍ତିର ଶକ୍ତି ବଳରେ ସେ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କର ଦର୍ଶନ କରିପାରିବେ। ତାଙ୍କର ଏହି ଇଚ୍ଛାଶକ୍ତି ଓ ସାହସକୁ ନେଇ ଗୁରୁବାର ଦିନ ରେଢ଼ାଖୋଲ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା।
ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ବିହ୍ବଳ ହୋଇ ରାଜସ୍ଥାନ ସବାଇମାଧପୁର ଜିଲ୍ଲା ଖଣ୍ତିଗ୍ରାମର ରାମହଂସ ଦାସ। ବୟସ ପାଖାପାଖି ୭୦ ବର୍ଷ ଅଟେ। ଦୁର୍ବଳ ସ୍ବାସ୍ଥ୍ୟ ସତ୍ତ୍ବେ ଜଗନ୍ନାଥଙ୍କୁ ଦର୍ଶନ କରିବାର ଇଚ୍ଛା ତାଙ୍କୁ ସୁସ୍ଥ ଓ ସଶକ୍ତ କରିଦେଇଛି। ରାଜସ୍ଥାନରୁ ରାସ୍ତାରେ ଦଣ୍ତ ମାରି ମାରି ଗୁରୁବାର ପୂର୍ବାହ୍ନ ୧୧ଟାରେ ରେଢ଼ାଖୋଲରେ ପହଞ୍ଚିଥିଲେ। ଜଗନ୍ନାଥଙ୍କୁ ଅତିପାଖରୁ ଦର୍ଶନ କରିବା ପାଇଁ ସାଧୁ ରାମହଂସଙ୍କ ଏହି ଲକ୍ଷ୍ୟ।
୨୦୨୧ ମସିହା ଏପ୍ରିଲ ମାସ ୨୯ ତାରିଖରେ ସେ ତାଙ୍କର ଗ୍ରାମରୁ ବାହାରିଥିଲେ। ସେଦିନଠାରୁ ନିୟମିତ ଦଣ୍ତ ମାରିମାରି ଆଗେଇ ଆସିଛନ୍ତି। ସାଧୁଙ୍କ କହିବା ଅନୁସାରେ ଖରା, ବର୍ଷା ଓ ଶୀତ ଭୃକ୍ଷେପ ନକରି ସେ ତାଙ୍କର ଗନ୍ତବ୍ୟ ପଥରେ ଧୀରେ ଧୀରେ ଆଗେଇ ଚାଲିଛନ୍ତି। ମହାପ୍ରଭୁଙ୍କ କରୁଣାରୁ ଆଜି ପର୍ଯ୍ୟନ୍ତ ସେ ଥକି ଯାଇନାହାନ୍ତି କି ଅସୁସ୍ଥ ହୋଇ ନଥିବା କଥା କହିଛନ୍ତି।
ତାଙ୍କ କହିବା ଅନୁସାରେ ଶ୍ରୀଜଗନ୍ନାଥଙ୍କ ଅପାର କରୁଣ ତାଙ୍କ ଉପରେ ଅଛି। ତାଙ୍କର ସ୍ବପ୍ନ ଥିଲା ଦିନେ ଗୁରୁଣ୍ତି ଗୁରୁଣ୍ତି ଯାଇ ମହାପ୍ରଭୁଙ୍କର ଦର୍ଶନ କରିବେ। ସେ ଏଥିରେ ସଫଳ ହେଲେ, ମହାପ୍ରଭୁଙ୍କର ଦର୍ଶନ ପାଇଲେ ଜଗତର କଲ୍ୟାଣ ଏବଂ ସମଗ୍ର ବିଶ୍ବରୁ ମହାମାରୀ ଦୂର କରିବା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବେ ବୋଲି ସେ କହିଛନ୍ତି।
ତେବେ ସେ କେବେ ପୁରୀରେ ପହଞ୍ଚିବେ ଜାଣିନାହାନ୍ତି ବୋଲି କହିଛନ୍ତି। ଦିନକୁ ପ୍ରାୟ ୩ ରୁ ୪ କିଲୋମିଟର ଦଣ୍ତ ମାରି ମାରି ଯାଉଥିବାର ପ୍ରକାଶ କରିଛନ୍ତି। ଖାଇବା, ପିଇବା ପ୍ରତି ସେତେ ଗୁରୁତ୍ବ ଦେଉନଥିବା ସମୟରେ ଯିଏ ଯାହା ଦିଅନ୍ତି ତାକୁ ଖାଇ ସେ ନିଜର ଭୋକକୁ ନିବାରଣ କରନ୍ତି। ରାସ୍ତା ପାର୍ଶ୍ବରେ କୌଣସି ସ୍ଥାନରେ ବିଶ୍ରାମ ନେଉଛନ୍ତି।
ରାମହଂସଙ୍କ ସହ ତାଙ୍କର ଶିଷ୍ୟ ରାକେଶ ଦାସ କିଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଧରି ସାଇକଲରେ ଯାଉଥିବାର ଦେଖିବା ପାଇଁ ମିଳିଛି। ଉଭୟଙ୍କର ଦର୍ଶନ ସମାପ୍ତ ହେଲେ ହେଲେ ଉଭୟ ଟ୍ରେନରେ ଫେରିଯିବେ ବୋଲି କହିଛନ୍ତି।