ତାଙ୍କର ଗୋଟିଏ ଗୋଟିଏ ପଞ୍ଚରେ ଯେତେ ଅଭାବ ଅସୁବିଧା ସତେ ଯେମିତି ବାଟ ଭାଙ୍ଗି ଚାଲିଯାଆନ୍ତି। ତାଙ୍କର ହାତ ଉଠିଲେ ହତାଶା ଯେମିତି ମୁଣ୍ଡ ନୁଆଇଁ ଦିଏ। ଆଉ ତାଙ୍କର ବ୍ଲାକ ବେଲ୍ଟକୁ ଦେଖିଲେ ଜୀବନ ଆକାଶରୁ କଳା ହାଣ୍ଡିଆ ମେଘ ଯେମିତି ଲୁଚିଯାଏ। ସେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁର କ୍ରୀଷ୍ଣା ଶିକାରୀ, ଅଭାବୀର ବସତିରୁ ଆନ୍ତର୍ଜାତୀୟ କରାଟେ ପ୍ଲେୟାର। ଆଉ ବର୍ତ୍ତମାନ ସେ ଓଡିଶା ପୋଲିସରେ କନେଷ୍ଟବଳ। ତାଙ୍କ ପାଇଁ ସେତେ ସହଜ ନଥିଲା ସଂଘର୍ଷରୁ ସଫଳତା ପର୍ଯ୍ଯନ୍ତ ଯାତ୍ରା।
ଜନ୍ମରୁ ଯୁବକ ହେବା ପର୍ଯ୍ଯନ୍ତ କେବେ ଭୋକ ସହ ଯୁଦ୍ଧ କରିଛନ୍ତି ତ ଆଉ କେବେ ଭୋକ ପାଖରେ ନିଜକୁ ଆତ୍ମ ସମର୍ପଣ କରିଛନ୍ତି। ଶେଷରେ ବାପାଙ୍କ ସହିତ ମିଶି ରାସ୍ତାକଡରେ କ୍ରୀଷ୍ଣା ଗୁପ୍ଚୁପ ବିକିଛନ୍ତି। ପରିବାରର ଅବସ୍ଥା ଦେଖି ସେ ଖେଳକୁଦ ଛାଡି ସବୁବେଳେ ରୋଜଗାରର ବାଟ ଦେଖୁଥିଲେ। ଖଟାପାଣି ପରଶି ଗ୍ରାହକଙ୍କର ମିଠା ମିଠା କଥାରେ ପେଟ ସିନା ପୁରି ଯାଉଥିଲା, ହେଲେ ସ୍ଵପଙ୍କୁ ହାସଲ କରିବା ପାଇଁ ସଂଘର୍ଷର ଭୋକ କିନ୍ତୁ ମରିନଥିଲା।
ଖେଳକୁଦରେ କ୍ରୀଷ୍ଣାଙ୍କର ଢେର ଆଗ୍ରହ ଥିଲା। ସଞ୍ଜ ହେଲେ ଗୁପ୍ଚୁପ ବିକୁଥିଲେ ଆଉ ରାତିରେ ଷ୍ଟ୍ରିଟ-ଲାଇଟ ତଳେ କରାଟେ ଶିଖୁଥିଲେ। ଗରିବୀ ସାଥିରେ ଥିଲେ ମଧ୍ୟ ସ୍ଵପ୍ନ ତାରା ହୋଇ ବାଟ କଢାଇ ନେଉଥିଲା। ବାଲୁଗାଁରୁ ଭୁବନେଶ୍ବରର ଉତ୍କଳ କରାଟେ ସ୍କୁଲରେ ପହଞ୍ଚିଥିଲେ କ୍ରୀଷ୍ଣା। ସ୍କୁଲର ସମ୍ପାଦକ ଡକ୍ଟର ହରିପ୍ରସାଦ ପଟ୍ଟନାୟକ ତାଙ୍କର ମେଣ୍ଟର ସାଜିଥିଲେ। ଆଉ ଏହାପରେ କ୍ରୀଷ୍ଣା ଜାତୀୟ ଓ ଆନ୍ତର୍ଜାତୀୟ କରାଟେ ପ୍ରତିଯୋଗିତାରେ ମେଡାଲ ପରେ ମେଡାଲ ଜିତି ଆଣି ଚାଲିଥିଲେ।
ଅଲଇଣ୍ଡିଆ ଓପନ କରାଟେ ଚମ୍ପିୟାନଶିପରେ ୧୨ଟି ସ୍ଵର୍ଣ୍ଣପଦକ ସାଙ୍ଗକୁ ଇଣ୍ଟର ନ୍ୟାସନାଲ ଓପନ ଚମ୍ପିୟାନଶିପରେ ମଧ୍ୟ କ୍ରୀଷ୍ଣା ଅନେକ ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି। ଖେଳକୁଦରେ କ୍ରୀଷ୍ଣା ଓଡ଼ିଶାକୁ ଗର୍ବିତ କରିଛନ୍ତି। ଆଉ ରାଜ୍ୟ ସରକାର ସ୍ପୋର୍ଟ୍ସ କୋଟାରେ କ୍ରୀଷ୍ଣାଙ୍କୁ ପୋଲିସ ବିଭାଗରେ ଏକ ଚାକିରିର ସୁଯୋଗ ଦେଲେ।
ପୁଅର ଏଭଳି ସଫଳତାରେ ତାଙ୍କର ବାପାମାଆ ମଧ୍ୟ ବହୁତ ଖୁସି ଅଛନ୍ତି। ତାଙ୍କର ଗାଁ ମଧ୍ୟ କ୍ରୀଷ୍ଣାଙ୍କ ପାଇଁ ବହୁତ ଗର୍ବ କରୁଛି। ସମାଜରେ ସଂଘର୍ଷ ଓ ସଫଳତାର ଅନେକ ଯାତ୍ରା ଆପଣମାନେ ନିଶ୍ଚିତ ଦେଖିଥିବେ, ହେଲେ କ୍ରୀଷ୍ଣାଙ୍କର ଏହି କାହାଣୀ ଅଭାବୀ ବସ୍ତିରେ ଭାଙ୍ଗି ପଡୁଥିବା ଅନେକ କ୍ରୀଷ୍ଣାଙ୍କର ପାଇଁ ପ୍ରେରଣାର ଏକ ନାମ ଅଟେ।